ଲକ୍ଷ୍ମୀ ପୁରାଣ କବି - ବଳରାମ ଦାସ

 ll🌷ll ଲକ୍ଷ୍ମୀ ପୁରାଣ ll🌷ll

 କବି - ବଳରାମ ଦାସ 

 ଓଁ


 

ନମସ୍ତେ କମଳା ମାଗୋ ସାଗର ଦୁଲ୍ଲଣୀ ।

ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣି ।୧।

ନମସ୍ତେ କମଳା ମାଗୋ ଅତି ଦୟାବତୀ ।

ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ।୨।

ତୋର ଦୟାବଳେ ମାଗୋ ଦରିଦ୍ର ଜନର ।

ହୁଅଇ ଅଚଳ ବିତ୍ତ ଜିଣଇ କୁବେର ।୩।

ତୋର ଦ୍ରୋହୀ ଜନେ ମାଗୋ ଅନ୍ନ ନ ମିଳଇ ।

ଯେତେ ଅରଜିଲେ କେଭଁ ପେଟ ନ ପୁରଇ ।୪।

ତୋହର ଚରିତ ମନ ଦେଇ ଯେ ଶୁଣଇ ।

କିଅବା ଭକତି ଭାବେ ସର୍ବଦା ଗୁଣଇ ।୫।

ତାହାର ଦରିଦ୍ର ପଣ ଯାଏ ଦୂର ହୋଇ ।

ସର୍ବଦା ତାକୁ ପ୍ରସନ୍ନ ହେଉ ମହାମାୟୀ ।୬।

ଏଣୁ ତୋ ଚରଣେ ମାଗୋ ଅଶେଷ ପ୍ରଣାମ ।

କରୁଛି ପୁରାଅ ବାରେ ମୋର ମନସ୍କାମ ।୭।

ତୋ ଚରିତ କିଞ୍ଚିତେ ମୁଁ କରିବି ରଚନା ।

ଜଗତ ଜନନୀ ବାରେ ଦିଅ ଦିବ୍ୟ ଜ୍ଞାନ ।୮।

ଦିନକେ ନାରଦ ପରାଶର ମୁନି ଦୁଇ ।

ଭ୍ରମି ଭ୍ରମି ଏକ ଗ୍ରାମେ ପ୍ରବେଶିଲେ ଯାଇଁ ।୯।

ସେହିଦିନ ମାର୍ଗଶୀର ମାସ ଗୁରୁବାର ।

ପର୍ବ ପଡ଼ିଥିଲା ସର୍ବ ପୁରବାସୀଙ୍କର ।୧୦।

ପ୍ରତି ଘରଦ୍ୱାର ଗୋମୟରେ ଲିପା ହୋଇ ।

ଲକ୍ଷ୍ମୀ ପାଦପଦ୍ମ ଚିତା ପ୍ଡ଼ିଥିଲା ତହିଁ ।୧୧।

ନାରୀମାନେ ସ୍ନାନ ସାରି ପିନ୍ଧା ଝୀନବାସ ।

ଲକ୍ଷ୍ମୀଙ୍କ ପୂଜାରେ ସର୍ବେ ହୋଇଛନ୍ତି ବଶ ।୧୨।

ବ୍ରାହ୍ମଣଙ୍କ ଠାରୁ ଯେ ଚଣ୍ଡାଳ ପରିଯନ୍ତେ ।

ଲକ୍ଷ୍ମୀଙ୍କ ପୂଜାରେ ରତ ଅଛନ୍ତି ସମସ୍ତ ।୧୩।

ହୁଳ ହୁଳୀ ଶବଦରେ ପୁରିଛି ଗଗନ ।

ଦେଖି ଏ ଉତ୍ସବ ରୀତି ବିଧାତା ନନ୍ଦନ ।୧୪।

ପଛରନ୍ତି ପରାଶର ମୁନିଙ୍କୁ ଉଦନ୍ତ ।

କହ କହ ତପୀବର ଏ କିସ ଚରିତ ।୧୫।

ବ୍ରହ୍ମଣ ଚଣ୍ଡାଳ ଆଦି ସମସ୍ତ ଜାତିରେ ।

କରୁଛନ୍ତି କି ଉତ୍ସବ ଆନନ୍ଦ ମତିରେ ।୧୬।

କେଉଁ ବ୍ରତ କି ଉପାସ ଅଟେ ଏହା ନାମ ।

କାହାକୁ କରନ୍ତି ପୂଜା ତାର କି ନିୟମ ।୧୭।

ଏହା ଶୁଣି ପରାଶର ହୋଇ ହସ ହସ ।

କହନ୍ତି ବଚନ ଧୀରେ ଶୁଣ ବିଧିଶିଷ୍ୟ ।୧୮।

ଏ ଧାନ ମାଣିକା ଗୁରୁବାର ଯେ ଅଟଇ ।

ଲକ୍ଷ୍ମୀ ଦେବୀଙ୍କର ପୂଜା ଏ ବ୍ରତ ଅଟଇ ।୧୯।

ସବୁ ମାସ ମାନଙ୍କରେ ମାର୍ଗଶିର ସାର ।

ତହିଁରେ ପଡ଼ଇ ଯେଉଁ ଯେଉଁ ଗୁରୁବାର ।୨୦।

ଲକ୍ଷ୍ମୀଙ୍କର ପ୍ରିୟ ସେହି ବାରମାନ ଜାଣ ।

ସବୁଠାରୁ ଆଦ୍ୟ ଗୁରୁବାରଟି ପ୍ରଧାନ ।୨୧।

ଏକ ଦିନେ ଶୁକ୍ଳ ଦଶମୀ ଗୁରୁବାର ।

ପଡ଼ିଲେ ସୁଦଶାବ୍ରତ ହୁଏ ସେ ଦିନର ।୨୨।

ଲକ୍ଷ୍ମୀଙ୍କର ଅତିପ୍ରିୟ ଅଟଇ ସେ ବ୍ରତ ।

ଏହା କହି ପରାଶର ହେଲେ ମୌନବ୍ରତ ।୨୩।

ପୁଣି ତାହାଙ୍କୁ ପୁଛିଲେ ବ୍ରହ୍ମାଙ୍କ କୁମର ।

ଲକ୍ଷ୍ମୀବ୍ରତ କରିଥିଲେ ମର୍ତ୍ତ୍ୟେ କେଉଁ ନର ।୨୪।

ତହିଁରୁ ସେ କେଉଁ ଶୁଭଫଳ ଲଭିଅଛି ।

ଲକ୍ଷ୍ମୀ ଦ୍ରୋହୀ ହୋଇକରି କେ ଦୁଃଖ ପାଇଛି ।୨୫।

ଏହା ସବୁ ମୋ ଆଗରେ କହତପୀ ସାଇଁ ।

ଶୁଣିବାକୁ ତାହା ଚିତ୍ତେ ଶ୍ରଦ୍ଧା ଉପୁଜଇ ।୨୬।

ନାରଦ ବଚନ ଶୁଣି ପରାଶର ମୁନି ।

କହନ୍ତି ହରଷ ଚିତ୍ତେ ସୁମଧୁର ବାଣୀ ।୨୭।

ଧନ୍ୟ ହେ ନାରଦ ତୁମ୍ଭେ ପବିତ୍ର ଚରିତ୍ର ।

ଲକ୍ଷ୍ମୀବ୍ରତ କଥାରେ ଯେ ହୋଇଅଛ ରତ ।୨୮।

କହୁଅଛି ପୁରାତନ କଥା ଅଛି ଯାହା ।

ହୋଇବ ଆନନ୍ଦ ଜାତ ଶୁଣିଲେଟି ତାହା ।୨୯।

ଏକଦିନେ ଜଗନ୍ନାଥ ପାଶେ ଲକ୍ଷ୍ମୀ ଥିଲେ ।

କରପତ୍ର ଯୋଡ଼ିଣ ତାହାଙ୍କୁ ଜଣାଇଲେ ।୩୦।

ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ ।

ତୁମ୍ଭେ ଆଜ୍ଞା ଦେଲେ ନଗ୍ର ବୁଲିଯିବି ମୁହିଁ ।୩୧।

ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ନଗ୍ରହିଁ ବୁଲିବ ।

ଦଶମୀ ପାଳନା ଅନ୍ନ ବେଗେ ରାନ୍ଧି ଦେବ ।୩୨।

ପ୍ରଭୁଙ୍କ ମୁଖରୁ ମାତ ଏମନ୍ତ ଶୁଣିଲେ ।

ବସ୍ତ୍ର ଅଳଙ୍କାରମାନ ଯତନେ ପିନ୍ଧିଲେ ।୩୩।

ନାସିକାରେ ନବରତ୍ନ ବସଣି ଖଞ୍ଜିଲେ ।

ଚଉସରୀ ରତ୍ନମାଳା କଣ୍ଠେ ଲମ୍ବାଇଲେ ।୩୪।

କରରେ ବାହୁଟି ରମ୍ୟ ବଳୟ କଙ୍କଣ ।

ସୁନା ସୁତା ମାଣିକ୍ୟ ପଦକ ଆଭରଣ ।୩୫।

ବାଜେଣି ନୂପୁର ମାତା ପୟରେ ଖଞ୍ଜିଲେ ।

ଏପରି ନାନା ଭୂଷଣେ ସୁବେଶ ହୋଇଲେ ।୩୬।

ଯେବଣ ମାତାଙ୍କ ଅଧିକାର ତିନିପୁର ।

ଆଭରଣ କେତେ ମାତ୍ର ଦେବେ ପଟ୍ଟାନ୍ତର ।୩୭।

ଶୁଣ ହେ ନାରଦ ଏହା ହୋଇ ଏକ ଚିତ୍ତ ।

ବୁଢ଼ୀ ବ୍ରାହ୍ମଣୀ ରୂପକୁ ଧରି ଜଗନ୍ମାତ ।୩୮।

ପ୍ରବେଶ ହୋଇଲେ ଯାଇଁ ସାଧୁର ଦୁଆରେ ।

ସାଧବାଣୀ ଉଭା ହୋଇଥିଲା ସେହିଠାରେ ।୩୯।

ତାକୁ ଦେଖି ମହାଲକ୍ଷ୍ମୀ କହନ୍ତି ବଚନ ।

ଶୁଣ ଶୁଣ ସାଧବାଣି ହୋଇ ସ୍ଥିରମନ ।୪୦।

ଆଜି ପରା ମହାଲକ୍ଷ୍ମୀ ବ୍ରତ ଗୁରୁବାର ।

ଲିପା ପୋଛା କରିନାହୁଁ କିମ୍ପା ଘରଦ୍ୱାର ।୪୧।

ସାଧବାଣୀ ଏହା ଶୁଣି ବେଲୋଇ ସେକ୍ଷଣି ।

କି ରୂପେ ଏ ବ୍ରତ ହୁଏ କାହା ପୂଜା ପୁଣି ।୪୨।

ବୁଝାଇ ତା ସବୁ କହ ହେ ନାନୀ ଗୋସାଇଁ ।

ଅଇଲେ ମନକୁ ସେ ବ୍ରତ ମୁଁ କରିବଇଁ ।୪୩।

ଏହା ଶୁଣି ପଦ୍ମାଳୟା କହନ୍ତି ସଧୀରେ ।

ଶୁଣ ସାଧବାଣୀ ବ୍ରତ ହୁଏ ଏ ବିଧିରେ ।୪୪।

ମାର୍ଗଶିର ମାସେ ଯେଉଁ ଆଦ୍ୟ ଗୁରୁବାର ।

ସେଦିନ ଉଷାରୁ ଶେଯ ଛାଡ଼ି ତତ୍ ପର ।୪୫।

ଗୋମୟ ଜଳରେ ଘର ଦୁଆର ଲିପିବ ।

ଲକ୍ଷ୍ମୀଦେବୀ ପାଦପଦ୍ମ ଚିତାକୁ ଲେଖିବ ।୪୬।

ନୂଆ ମାଣ ଗୋଟିଏ ଅଣାଇ ଯତ୍ନେ ବେଗେ ।

ଧୋଇ ଧାଇ କରି ତାକୁ ଶୁଖାଇବ ଆଗେ ।୪୭।

ତାହାକୁ କରିବ ନାନା ଚିତ୍ର ଯେ ବିଚିତ୍ର ।

ଚାଉଳକୁ ବାଟି ଚିତା ଲେଖିବ ସମସ୍ତ ।୪୮।

ତହିଁ ସ୍ନାନ କରି ଆସି ହୋଇ ଶୁଚିମନ୍ତ ।

ଚଡ଼କି ବା ଖଟୁଲିଏ ଆଣିବ ତ୍ୱରିତ ।୪୯।

ତାକୁ ଧୋଇ ତା ଉପରେ ଦେବେ ନୂଆଧାନ ।

ରଙ୍ଗକଳା ନୋହି ହୋଇଥିବ ଶୁକ୍ଳବର୍ଣ୍ଣ ।୫୦।

ତହୁଁ କିଛି କୁଢ଼ାଇ ଯେ ସେ ନୂଆ ମାଣରେ ।

ଧାନମାଣ ଯେ ପୁରାଇ ରଖିବ ତାପରେ ।୫୧।

ସେ ଧାନ ମାଣ ଉପରେ ଗୁଆ ତିନିଗାଟି ।

ହଳଦୀ ପାଣିରେ ତାହା ଧୋଇ ଥୋଇବଟି ।୫୨।

ଶୁକଳ ଧାନର ଶିଖା ରଖି ବେଣ୍ଟି କରି ।

ମାଣ ଉପରେ ତାହାକୁ ଥୋଇବ ବିଚାରି ।୫୩।

ଗୁଆ ଆଖୁ ମୂଳା କଦଳୀରେ ସଜାଡ଼ିବ ।

ପଟ୍ଟାଦିରଙ୍ଗ ବସନ ପୁଷ୍ପେ ମଣ୍ଡାଇବ ।୫୪।

ତହୁଁ ଆବାହନ ମହାଲକ୍ଷ୍ମୀଙ୍କୁ କରିବ ।

ଗନ୍ଧପୁଷ୍ପ ଧୂପଦୀପ ଆଦି ସମର୍ପିବ ।୫୫।

ପ୍ରଥମରେ ବାଳଧୂପ ତାପରେ ଶଙ୍ଖୁଡ଼ି ।

ଏପରି କରିବ ତିନି ଧୂପକୁ ସଜଡ଼ି ।୫୬।

ମହାଲକ୍ଷ୍ମୀଙ୍କର ଆଉ ଏକ ବ୍ରତ ଅଛି ।

ସୁଦଶା ବୋଲି ତା ନାମ ପ୍ରକଟିଛି ।୫୭।

ଶୁକଳଦଶମୀ ହେଲେ ଗୁରୁବାର ଦିନ ।

ହୁଅଇ ସୁଦଶାବ୍ରତ ଶୁଣ ଦେଇ ମନ ।୫୮।

ସେଦିନ ଉଷାରୁ ଉଠି ଲିପି ଘରଦ୍ୱାର ।

ଝୋଟି ଆଦି ଚିତା ଦେବ ପୂର୍ବ ପରକାର ।୫୯।

ସ୍ନାନ ସାରି ଗୃହେ ପଦ୍ମମଣ୍ଡଳ ଲେଖିବ ।

ତହିଁପରେ ଧୋଇ ଏକ ଖଟୁଲି ରଖିବ ।୬୦।

ତହିଁପରେ ଲକ୍ଷ୍ମୀପୂଜା ଗୁଆକୁ ଥୋଇବ ।

ପଞ୍ଚାମୃତ ଶୁଦ୍ଧଜଳେ ସ୍ନାନ କରାଇବ ।୬୧।

ଦଶଖିଅ ସୂତାରେ ଯେ ବ୍ରତେକ କରିବ ।

ଲକ୍ଷ୍ମୀଙ୍କ ନାମରେ ଦଶଗୋଟି ଗଣ୍ଠିଦେବ ।୬୨।

ଦଶକେରା ଦୂବରେ ସେ ବ୍ରତ ଗୁଡ଼ାଇବ ।

ମହାଲକ୍ଷ୍ମୀ ଗୁଆ ପାଶେ ତାହାକୁ ଥୋଇବ ।୬୩।

କରୁଥିଲେ ପୂର୍ବରୁ ସେ ବ୍ରତ ପୁରାତନ ।

ବ୍ରତଡୋର ଆଣି ତହିଁ ଥୋଇବ ବହନ ।୬୪।

ପ୍ରଥମରେ ବାଳଧୂପ ନଇବେଦ୍ୟ କରି ।

ତାପରେ ଯା ଭୋଗ ଦେବ ଶୁଣ ହେତୁ କରି ।୬୫।

ଅରୁଆ ଚାଉଳ ଏକମାଣ ତିନ୍ତାଇବ ।

ତାକୁ କୁଟି ଚୂନା କରି ଯତନେ ରଖିବ ।୬୬।

କଦଳୀ ନଡ଼ିଆ ଛେନା ଆଦି ଦଶପୁର ।

ଦେଇ ଦଶଗୋଟି ମଣ୍ଡା କରିବ ସତ୍ୱର ।୬୭।

ମହାଲକ୍ଷ୍ମୀଙ୍କୁ ତା ପୂଜା କରି ଭକ୍ତି ଚିତ୍ତେ ।

ସେ ପ୍ରସାଦ ଖାଇ ଦିନ ବଞ୍ଚିବ ଯେ ସୁସ୍ଥ ।୬୮।

ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନ ଦେବ ।

ବିଭା ହୋଇଥିବା ଝିଅ ସୁଦ୍ଧା ନ ଖାଇବ ।୬୯।

ଏ ଉତ୍ତାରୁ କଥା ଏକ ମନଦେଇ ଶୁଣ ।

ଗୁରୁବାର ଦିନ ଯେଉଁ କଥା ନିବାରଣ ।୭୦।

ସେ କଥା କହୁଛି ଏବେ ସାଧବାଣୀ ଶୁଣ ।

କେବେ ନ ଭାଜିବ ଖଇ ଗୁରୁବାର ଦିନ ।୭୧।

ଯେଉଁ ନାରୀ ଗୁରୁବାର ଦିନରେ ଆମିଷ ।

ଭୁଞ୍ଜଇ ଲୋଭରେ କିବା ନ ପଖାଳେ କେଶ ।୭୨।

ଭୁଞ୍ଜଇ ଉଚ୍ଛିଷ୍ଟ କିବା ଲଗାଇ ଯେ ତେଲ ।

ମହାଲକ୍ଷୀ ତାର ନିଶ୍ଚେ ଭାଙ୍ଗିଦ୍ୟନ୍ତି ଗେଲ ।୭୩।

ଗୁରୁବାରେ ଯେଉଁ ନାରୀ ତୁଳାକୁ ଭିଣଇ । 

ଲାଉରେ ଆମିଷ ଦେଇ ଯେ ଗ୍ରାସ କରଇ ।୭୪।

ଖଟର ଛାୟାରେ ଯେହୁ କରଇ ଶୟନ ।

ରାତ୍ରକାଳେ ଦ‌ଧିଅନ୍ନ ଯେ କରେ ଭୋଜନ ।୭୫।

କ୍ଷୌର ହୁଏ ଯେହୁ ଯାଇ ନାପିତର ଦ୍ୱାରେ ।

ଭୋଜନ ସମୟେ ଅନ୍ନ ପକାଏ ଭୂମିରେ ।୭୬।

ଭୁଞ୍ଜି ନ ପାରିଣ ଅନ୍ନ ଫୋପାଡ଼ିଣ ଦିଏ ।

ଏଡ଼େ କର୍ମ କରେ ଯିଏ ଲକ୍ଷ୍ମୀଙ୍କୁ ନ ପାଏ ।୭୭।

ଗୁରୁବାର ଦିନ ସକାଳରୁ ଗୋମୟରେ ।

ଦୁଆର ଯେ ନ ଲିପଇ ଅଳସ ପଣରେ ।୭୮।

ଚୁଲିରୁ ନ କାଢ଼େ ପାଂଶ ଭକ୍ଷେ ଯେ ଆମିଷ ।

ଏମାନଙ୍କଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ ।୭୯।

ଧନ ଜନ ସବୁ ତାର ହରଣ କରନ୍ତି ।

ମାଗିଗଲେ ଅନ୍ନବସ୍ତ୍ର କେହି ନ ଦିଅନ୍ତି ।୮୦।

ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା ।

ଐଶ୍ୱର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭଗା ।୮୧।

ଗୁରୁବାରେ ଯେଉଁ ନାରୀ ପିଲାଙ୍କୁ ମାରଇ ।

କିବା ପାକ‌ହାଣ୍ଡି ଧୋଇ କଳା ନ ଛାଡ଼ଇ ।୮୨।

ସନ୍ଧ୍ୟା ଗଡ଼ିଗଲେ ଯିଏ ଦିଏ ସନ୍ଧ୍ୟାବତୀ ।

ପୁତ୍ରଧନ ହାନୀ ହୁଏ ସଦା ବ‌ହୁ କ୍ଷତି ।୮୩।

ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ ।

ଶୋଇବାରେ ଶ‌ଯ୍ୟ ବଙ୍କା କରିଣ ବିଛାଏ ।୮୪।

ଶାଶୁ ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ ।

ଉଲଗ୍ନ ହୋଇ ଶ‌ଯନ କରେ ଯେଉଁ ପ୍ରାଣୀ ।୮୫।

ଅମାବାସ୍ୟା ସଂକ୍ରାନ୍ତିରେ ବୁଲାଏ ଯେ ହଳ ।

ଏହି ଦିନମାନଙ୍କରେ ଘେନଇ ତଇଳ ।୮୬।

ସଭାମାନଙ୍କରେ ବସି ମିଛ ଯେ କ‌ହଇ ।

ଆଳସ୍ୟେ ପାଦ ନ ଧୋଇ ଯେ ଭୁଞ୍ଜଇ ।୮୭।

କୁଷ୍ମାଣ୍ଡ ଫଳକୁ ଯେହୁ ରମଣୀ କାଟଇ ।

ଋତୁମତୀ ନାରୀକୁ ଯେ ରମଣ କରଇ ।୮୮।

କନ୍ୟା ତୁଳା ମାସେ ପିତୃଶ୍ରାଦ୍ଧ ନ କରଇ ।

କଥା କ‌ହୁ କ‌ହୁ ସବୁବେଳେ ଯେ ହସଇ ।୮୯।

ଏମନ୍ତ ମନୁଷ୍ୟ ସଦା ବ‌ହୁ କଷ୍ଟ ପାଇ ।

ଆୟ ବୁଦ୍ଧି ନାଶ୍ୟାଏ ଅନ୍ନ ନ ମିଳଇ ।୯୦।

ଗୁରୁବାର ସଙ୍କରାନ୍ତି ଅମାବାସ୍ୟା ଦିନ ।

ରଜନୀରେ ସ୍ତ୍ରୀ ପୁରୁଷ କଲେକ ଭୋଜନ ।୯୧।

କିବା ଏହି ତିନି ଦିନ ଯେଉଁ ନାରୀ ମୋହେ ।

ପୁରୁଷ ସଙ୍ଗରେ ମାତି ଧର୍ମକୁ ନ ଚାହେଁ ।୯୨।

ପ୍ରାଣେ ନାଶ ନ କରିଣ ତାକୁ ଦୁଃଖ ଦେଇ ।

ବୁଲାନ୍ତି ଯେ ଅନ୍ନ ବସ୍ତ୍ର କାହିଁଁ ନ ମିଳଇ ।୯୩।

ଏହି ତିନି ଦେନେ ଯେହୁ ତିକ୍ତ ଦ୍ରବ୍ୟ ଖାନ୍ତି ।

ଅନ୍ତଃ କାଳେ ଯମଦ୍ୱାରେ ବ‌ହୁ କଷ୍ଟ ପାନ୍ତି ।୯୪।

ଏ ତିନି ଦିନ ଯେ ନାରୀ କରଇ ହବିଷ୍ୟ ।

ଦୁଃଖୀ ରଙ୍କି ଦେଖି ଦାନ କରଇ ବିଶେଷ ।୯୫।

କରେ ଲକ୍ଷ୍ମୀବ୍ରତ ଲକ୍ଷ୍ମୀବାରେ ଉପବାସ ।

ବଢ଼ିବ ତାହା ଧନ ଜନ ଆୟୁ ଯଶ ।୯୬।

ସକାଳୁ ଶେଯରୁ ଉଠି ଯେ ମୁଖ ନ ଧୁଏ ।

ତା ମୁଖ ଯେ ଜନ ଦେଖେ ତାର ଶୁଭ ନୁହେଁ ।୯୭।

ରାତ୍ରଶେଷେ ବାସି ଶେଯେ ଯେ କରେ ଶୟନ ।

ତା ଗୃହକୁ ଲକ୍ଷ୍ମୀ ତ୍ୟାଗ କରନ୍ତି ବ‌ହ‌ନ ।୯୮।

ଆସନ ବିନା ଯେ ଭୂମିପରେ ବସି ଖାଏ ।

କିବା ଯେ କୁମାରୀ ସଙ୍ଗତରେ କାମମୋହେ ।୯୯।

ଦକ୍ଷିଣ ପଶ୍ଚିମ ମୁଖ ଯେ ଭୁଞ୍ଜି ବସଇ ।

ଏମାନଙ୍କ ପାଶୁ ଲକ୍ଷ୍ମୀ ଯାନ୍ତି ଦୂର ହୋଇ ।୧୦୦।

ସନ୍ଧ୍ୟାରେ କୁଣ୍ଡାଇ କେଶ ବାନ୍ଧେ ଯେଉଁ ନାରୀ ।

କେଭେ ନ ଦେଖନ୍ତି ଲକ୍ଷ୍ମୀ ତାହାର ଯେ ଶିରୀ ।୧୦୧।

ଭୋଜନ କରି ଯେ ମୁଖ ଶୋଧନ ନ କରେ ।

ଭୋଜନ କରଇ ଯେହୁ ଅନ୍ଧକାର ଘରେ ।୧୦୨।

ଯେଉଁ ନାରୀ ନିଜ ପତିଠାରେ ରୋଷ ବ‌ହେ ।

ସ୍ୱାମୀ ଯାହା ବୋଲେ ତାହା ନ କରେ କେବେହେଁ ।୧୦୩।

ପର ପୁରୁଷରେ ଯେହୁ ହୋଇଥାଏ ରତ ।

ପରିଷ୍କୃତ ନୋହି ହୁଏ ଯେ ନାରୀ କୁତ୍ସିତ ।୧୦୪।

ଏମନ୍ତ ନାରୀଙ୍କ ମୁଖ ଲକ୍ଷ୍ମୀ ନ ଦେଖନ୍ତି ।

କାଙ୍ଗାଳିନୀ ପରି ବାରଦ୍ୱାରେ ସେ ବୁଲାନ୍ତି ।୧୦୫। 

କଳହୀ ଅଳସୀ ଅତି ଅପ୍ରିୟା ସାହସୀ ।

ଦେବ ବିପ୍ର ଅତିଥିରେ ନୁହଁଇ ବିଶ୍ୱାସୀ ।୧୦୬।

ଏହିପରି ନାରୀ ଥିଲେ ସେ ଗୃହ ଶ୍ମଶାନ ।

ଲକ୍ଷ୍ମୀ ସେ ସ୍ଥାନ‌କୁ ସଦା କରନ୍ତି ବର୍ଜନ ।୧୦୭।

ଯେଉଁ ନାରୀ ଭକ୍ତି ଚିତ୍ତେ ସ୍ୱାମୀକି ନ ସେବେ ।

ଜନ୍ମେ ଜନ୍ମେ ସ୍ୱାମୀ ଦୁଃଖେ ଦୁଃଖୀ ହୁଏ ଭବେ ।୧୦୮।

ଯେଉଁ ନାରୀ ସ୍ୱାମୀକୁ ଯେ ଦେବ ସମ ମଣି ।

ସେବାକରି ତୋଷୁଥାଏ ତାର ମତ ଚିହ୍ନି ।୧୦୯।

ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଏ ।

ସାନ ବଡ଼ ସମସ୍ତଙ୍କୁ ସମ‌ଭାବେ ଚାହେଁ ।୧୧୦।

ପରଷିବା ବେଳେ ପକ୍ଷ‌ପାତ ଯେ ନ କରେ ।

ସ୍ୱାମୀ ପୁତ୍ର ସମସ୍ତଙ୍କୁ ବାଣ୍ଟେ ସମାନରେ ।୧୧୧।

ପତିର ଆଜ୍ଞାକୁ କେବେ ନ ପକାଏ ତଳେ ।

ସ୍ୱାନ୐ ଦୁଃଖେ ଦୁଃଖୀ ସୁଖେ ସୁଖୀ ହୋଇ ଚଳେ ।୧୧୨।

ଏମନ୍ତ ନାରୀର ଗୃହ ଲକ୍ଷ୍ମୀ ନ ଛାଡ଼ନ୍ତି ।

ତାର ଦୁଃଖ ନୟନରେ କେବେ ନ ଦେଖନ୍ତି ।୧୧୩।

ଏ ମର୍ତ୍ତ୍ୟ ମଣ୍ଡଳେ ସେହି ନାରୀ ସୁଖ ପାଏ ।

ପତି ପୁତ୍ର କନ୍ୟା ଅଇଶ୍ୱର୍ଯ୍ୟ ସୁଖ ପାଏ ।୧୦୪।

ଅନ୍ତକାଳେ ବଇକୁଣ୍ଠେ ଲକ୍ଷ୍ମୀଙ୍କ ସଙ୍ଗରେ ।

ଅନୁକ୍ଷଣେ ମଜି ରହେ ପ୍ରମୋଦ ରଙ୍ଗରେ ।୧୦୫।

ସଧବା ନାରୀର ପତି ବିନା ନାହିଁଁ ଗତି ।

ତପ ଜପ ଦେବ ପୂଜା ତାହାର ଅନୀତି ।୧୦୬।

ପତି ସେବ ଛାଡ଼ି ବୃଥା ବ୍ରତ ଯେ କରଇ ।

ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୁଅଇ ।୧୦୭।

ଯେଉଁ ନାରୀ ଆନନ୍ଦରେ ଅତିଥି ସେବଇ ।

ପୁଣ୍ୟବତୀ ବୋଲି ତାକୁ ପୁରାଣରେ କ‌ହି ।୧୦୮।

ଏମନ୍ତ ପ୍ରକାରେ ଯେଉଁ ନାରୀ ବା ପୁରୁଷ ।

ଆପଣାର କୁଳଧର୍ମ ନ ଛାଡ଼ନ୍ତି ଲେଶ ।୧୦୯।

ସଦାବେଳେ କରନ୍ତି ଉତ୍ତମ ଆଚରଣ ।

ଶ୍ରୀଲକ୍ଷ୍ମୀ ତାହାଙ୍କ ପାଦେ ମିଳନ୍ତି ତକ୍ଷଣ ।୧୧୦।

ପତି ସେବା ବିନା ନାହିଁଁ ନାରୀଙ୍କର ଗତି ।

ପତିପ୍ରାଣା ନାରୀ କରେ ଦେବଲୋକ ଗତି ।୧୧୧।

ନାରୀଙ୍କର ଲକ୍ଷ୍ମୀବ୍ରତ ପତିସେବା ବିନା ।

ଅନ୍ୟ ଦେବ ପୂଜାତୀର୍ଥ ଯାତ୍ରା ବିଡ଼ମ୍ବନା ।୧୧୨।

ପତି ସେବା ବରଜି ଯେ ମାତ ଗରବରେ ।

ଗୁରୁବାରେ ଲକ୍ଷ୍ମୀବ୍ରତ ସେହୁ ଯଦି କରେ ।୧୧୩।

ତାହାର ନୁହଇ ଭଲ ଜନମେ ଜନମେ ।

ଦୁଃଖ ଶୋକ ରୋଗ ଭୋଗ ସଂସାରେ ସେ ଭ୍ରମେ ।୧୧୪।

ଏମନ୍ତ ତିଆରି ସାଧବାଣୀକି ବୋଇଲେ ।

ଆଜିଠାରୁ ଲକ୍ଷ୍ମୀବ୍ରତ କର ଯା ବୋଇଲେ ।୧୧୫।

ନ କଲେ ସର୍ବ ସମ୍ପଦ ତୋର କ୍ଷୟ ଯିବ ।

ଅନ୍ନ ବସ୍ତ୍ର ଅଭାବରେ ଦୁଃଖ ଭୋଗ ହେବ ।୧୧୬।

ଶୁଣ ହେ ନାରଦ ଠାକୁରାଣୀ ଏହା କ‌ହି ।

ସେଠାବରୁ କେତେଦୂର ପଥ ଗଲେ ବାହି ।୧୧୭।

ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିଜେ କଲେ ।

କାହାରି ଦୁଆରେ ସେହି ଶୁଚି ନ ଦେଖିଲେ ।୧୧୮।

କେବଣ ଯୁବତୀ ନିଦେ ହୋଇ ଅଚେତନ ।

କାହର ଫିଟିଯାଇଚଛି ପିନ୍ଧିଲା ବସନ ।୧୧୯।

କାହାର ଶିରରେ କେଶ ମୁକୁଳିତ ହୋଇ ।

ଭୂମିପରେ ପଡ଼ିଅଛି କେରି କେରି ହୋଇ ।୧୨୦।

ଏହି ରୁପେ ମହାଲକ୍ଷ୍ମୀ ଦେଖିକରି ଗଲେ ।

ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ ।୧୨୦

ଶ୍ରିୟା ଚଣ୍ଡାଳୁଣୀ ନ‌ଗ୍ର ବାହାରେ ତା ଘର ।

ତାହାର ମହିମା ଦେବଙ୍କୁ ଯେ ଅଗୋଚର ।୧୨୧।

ପ୍ରତିଦିନ ଖରକଇ ଗୁଣ୍ଡିଚା ନ‌ଗର ।

ବିଷ୍ଣୁ ଭକତିରେ ସେ ଯେ ଅତି ତ‌ତପର ।୧୨୨।

ରାତ୍ର ବେନି ଘଡ଼ି ଥାଇ ଚଣ୍ଡାଳୁଣୀ ଗଲା ।

ଏକ ବର୍ଣ୍ଣି ଗାଈର ଯେ ଗୋବର ଆଣିଲା ।୧୨୩। 

ଉତ୍ତମ କରିଣ ଘରଦ୍ୱାରକୁ ଲିପିଲା । 

ଅରୁଆ ଚାଉଳ ବାଟି ଘରେ ଝୋଟି ଦେଲା ।

ଷୋଳକୋଠି କରି ଦିବ୍ୟ ପଦ୍ମେକ କାଟିଲା ।୧୨୫।

ଦଶମୁଖୀ ଦୀପାବଳୀ ମଣ୍ଡଳେ ଥୋଇଲା ।

ଦଶବର୍ଣ୍ଣ ଫଳମୂଳ ମଣ୍ଡଳେ ବାଢ଼ିଲା ।୧୨୬।

ସୂତା ଦଶଖିଅ ନେଇ ମଣ୍ଡଳେ ଥୋଇଲା ।

ମନର ଚଞ୍ଚଳେ ପୁଣି ବେଗେ ଚଳଗଲା ।୧୨୭।

ଅରୁଆ ଚାଉଳ ଆଉ ଦୁବ ଦଶକେରା ।

ତାହା ନେଇ ଚଣ୍ଡାଳୁଣୀ ମଣ୍ଡଳେ ଥୋଇଲା ।୧୨୮।

ଧୂପଦୀପ ନଇବେଦ୍ୟ ଗନ୍ଧପୁଷ୍ପ ଦେଲା ।

ଲକ୍ଷ୍ମୀ ନାରାୟଣ ବୋଲି ସୁମରଣା କଲା ।୧୨୯।

ନମସ୍ତେ ନମସ୍ତେ ମାଗୋ ହରିଙ୍କ ଘରଣୀ ।

ମୁହିଁଁ ଛାର ହୀନ‌ଜାତି ନ ଜାଣଇ ପୁଣି ।୧୩୦।

ଚଣ୍ଡାଳ ସାହିରେ ଘର ପୁଣି ଚଣ୍ଡାଳୁଣୀ ।

କିଞ୍ଚିତେ ଭକତି ମୋର ଘେନ କମଳିନୀ ।୧୩୧।

ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ ।

ସ‌ହି ନ ପାରିଲେ ଚଣ୍ଡାଳୁଣୀର ଦୟିନୀ ।୧୩୨।

ପଦ୍ମ ଫୁଲ ଦେଖି ତାଙ୍କ ବଳିଲା ଶରଧା ।

ଦୁଇପାଦ ଦେଇ ମାତା ପଦ୍ମେ ହେଲେ ଉଭା ।୧୩୩।

ଚଣ୍ଡାଳୁଣୀ ଘରଗୋଟି ପାଇଲାକ ଶୋଭା ।

ଲକ୍ଷ୍ମୀ ବିଜେ କରିଛନ୍ତି କି ଉପମା ଦେବା ।୧୩୪।

ବୋଇଲେକ ଚଣ୍ଡାଳୁଣୀ ମାଗି ଘେନ ବର ।

ପ୍ରସନ୍ନ ହୋଇଲି ଦୁଃଖ ନାଶିବି ତୋହର ।୧୩୫।

ଚଣ୍ଡାଳୁଣୀ କ‌ହୁଅଛି ଶିରେ କର ଦେଇ ।

କି ବର ମାଗିବି ମାଗୋ ମାଗି ନ ଜାଣଇ ।୧୩୬।

ଗୋ-ଗୋଷ୍ଠକୁ ଦେବ ମୋର ଲକ୍ଷେ ପଦ୍ମ ଗାଈ ।

କୁବେର ସମାନ ଧନ ଦେବୁ ମାଗୋ ତୁହି ।୧୩୭।

କୋଳକୁ ନନ୍ଦନ ଯେ ହସ୍ତକୁ ସୁନାବାହି ।

ଚାରିଯୁଗେ ବସିବି ଅମର ବର ପାଇ ।୧୩୮।

ଲକ୍ଷ୍ମୀ ଶୁଣି ହୋଇଲେ ତୁ ହୋଇଛୁ କି ବାଇ ।

ଏ ସମସ୍ତ ବର ତୋତେ ଦେଇ ତ ପାରଇ ।୧୩୯।

ଅମର ବର ଦେବାକୁ ଶକ୍ତି ନାହିଁଁ ମୋର ।

ଏ ବର ମାଗିଲୁ ତୁ କେମନ୍ତ ପ୍ରକାର ।୧୪୦।

ଯେତେ ଦିନ ଯିଇଁଥିବୁ ଐଶ୍ୱର୍ଯ୍ୟ ଭୁଞ୍ଜିବୁ ।

ଅନ୍ତକାଳେ ଯାଇ ବଷ୍ଣୁ ପଞ୍ଜରେ ପଶିବୁ ।୧୪୧।

ମୋହର ଏ ବ୍ରତ କରୁଥିବୁ ସବୁଦିନ ।

ଲକ୍ଷ୍ମୀ-ନାରାୟଣ ପାଦେ ଥିବ ତୋର ମନ ।୧୪୨।

ଶୁଣ ହେ ନାରଦ ଏଣେ ହରି ବଳରାମ ।

ମୃଗୟା ବିନୋଦେ ଯାଇଥିଲେ ଘୋରବନ ।୧୪୩। 

ଯୋଗବଳେ ବଳରାମ ଏ କଥା ଜାଣିଲେ ।

ଡାକିକରି ଶ୍ରୀହରିଙ୍କୁ ଏମନ୍ତ କ‌ହିଲେ ।୧୪୪।

ଦେଖ ଦେଖ କହ୍ନାଇ ତୋ ଭାରିଜା ଆଚାର ।

ଉଭା ହୋଇ ଅଛନ୍ତ ଯେ ଚଣ୍ଡାଳୁଣୀ ଘର ।୧୪୫।

ହାଡ଼ି ଘରେ ଥିବ ଲକ୍ଷ୍ମୀ ପାଣ ଘରେ ଥିବ ।

ସ୍ନାନ ନ କରିଣ ବଡ଼ ଦେଉଳେ ପଶିବ ।୧୪୬।

ଏହି ରୁପେ ସବୁଦେନ ଦେଉଳେ ପଶୁଛି ।

ଦୁଇଗୋଟି ଭାଇଙ୍କୁ ବିଟାଳ କରାଉଛି ।୧୪୭।

ଦରିଦ୍ର ଭଞ୍ଜନୀ ନାମ ଯେଣୁ ଅଛି ବ‌ହି ।

ଦରିଦ୍ରମାନଙ୍କ କଷ୍ଟ ନ ପାରଇ ସ‌ହି ।୧୪୮।

ସୁଦଶା ନାମକ ଏକ ବ୍ରତ ଯେ ତାହାର ।

ଏହି ବ୍ରତେ ଚଣ୍ଡାଳୁଣୀ ପୁଜଇ ପୟର ।୧୪୯।

ଭାରିଜାରେ କାର୍ଯ୍ୟ ଯେବେ ଅଛିରେ କ‌ହ୍ନାଇ ।

ଚଣ୍ଡାଳ ସାହିରେ ନ‌ଗ୍ର ତୋଳ ବେଗେ ଯାଇ ।୧୫୦।

ଆମ୍ଭ ବାକ୍ୟ ମାନି ତାକୁ ଦିଅ ଘଉଡ଼ାଇ ।

ଏପରି ଘରଣି ଥିଲେ ଭଲ ଗତି ନାହିଁଁ ।୧୫୧।

ଗୋବିନ୍ଦ ବୋଇଲେ ଭାଇ ଘଉଡ଼ାଇ ଦେବା ।

ଲକ୍ଷ୍ମୀ ପରା ଭାରିଜାକୁ ଆଉ ନ ପାଇବା ।୧୫୨

ସେ ଦୋଷ କରିଛି ଯେବେ ଏମନ୍ତ କରିବା ।

ସ୍ୱର୍ଗ ପୁର ଲୋକଙ୍କୁ ଡକାଇ ଅଣାଇବା ।୧୫୩।

ପାଞ୍ଚ ଲକ୍ଷ ଟଙ୍କା ଦେଇ ଜାତି କରାଇବା ।

ଆଉ ବେଳେ ତାର ଯଦି ଅନୀତି ଦେଖିବା ।୧୫୪।

ଦେଉଳ ଭିତରୁ ତାକୁ ଦେବା ଘଉଡ଼ାଇ ।

ଏ କଥା ପ୍ରମାଣ ତମେ ଶୁଣ ଜ୍ୟୋଷ୍ଠ ଭାଇ ।୧୫୫।

ନ ଜାଣି ଯେ ଦୋଷ କଲେ ସିନ୍ଧୁ ରାଜ‌ଜେମା ।

ବାରେ ମାତ୍ର ଭାଇ ତାଙ୍କ ଦୋଷ କର କ୍ଷମା ।୧୫୬।

ବଳରାମ ବୋଲୁଛନ୍ତି ଶୁଣ ଭାବଗ୍ରାହୀ ।

ତୋର ଲକ୍ଷ୍ମୀ ଥିଲେ ମୁହିଁଁ ରହିବଇ ନାହିଁଁ ।୧୫୭।

ଭାରିଜା ଅଟଇ ସିନା ପାଦର ପାଣ୍ଡୋଇ ।

ଭାଇ ଥିଲେ କୋଟି ଭାର୍ଯ୍ୟା ମିଳି ଯେ ପାରଇ ।୧୫୮।

ଭାର୍ଯ୍ୟାଠାରେ ଲୋଭ ଯେବେ ଅଛିରେ କ‌ହ୍ନାଇ ।

ଚଣ୍ଡାଳ ସାହିରେ ତୁ ନବର ତୋଳ ଯାଇ ।୧୫୯।

ମୋର ବଡ଼ ଦେଉଳକୁ ଆଉ ନ ଆସିବୁ ।

ମାଇପକୁ ନେଇ ଦାଣ୍ଡ ବାହାରେ ରହିବୁ ।୧୬୦।

ଧିକ୍କାର ବଚନ ପ୍ରଭୁ ଶୁଣି ନ ପାରିଲେ ।

ଛାଡ଼ିଲି ବୋଲିଣ ରଙ୍ଗ ଅଧରେ କ‌ହିଲେ ।୧୬୧।

ଦେଉଳର ସିଂହଦ୍ୱାରେ ପ୍ରବେଶ ହୋଇଲେ।

ଉର୍ଦ୍ଧ୍ୱମୁଖ ହୋଇ ପ୍ରଭୁ ନିଃଶ୍ୱାସ ଛାଡ଼ିଲେ ।୧୬୨। 

ଶୁଣ ହେ ନାରଦ ତେଣେ ଶ୍ରୀୟା ଚଣ୍ଡାଳୁଣୀ ।

ପୂଜା କରୁଥିଲା ଲକ୍ଷ୍ମୀଙ୍କର ପାଦବେନି ।୧୬୩।

ତାହାର ପୂଜାରେ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ ।

ଯାଚିଣ ଅନେକ ବର ପ୍ରଦାନ କରିଲେ ।୧୬୪।

କୁଟୀର ଖଣ୍ଡିକ ଥିଲା ବଲୁରିର ଦାସ ।

ଲକ୍ଷ୍ମୀ ଦୟାକଲେ ତାକୁ ଚନ୍ଦନ ଉଆସ ।୧୬୫।

ଯେଉଁ ଚଣ୍ଡାଳୁଣୀ ଘରେ ନ ଥିଲାକ ପୁତ୍ର ।

ଲକ୍ଷ୍ମୀ ଦୟା କଲେ ତାର ହେଲା ପାଞ୍ଚ ସୁତ ।୧୬୬।

ଧନ ପୁତ୍ରବତୀ ହୁଅ ବୋଲିଣ ବୋଇଲେ ।

ବରଦେଇ ସେ ଠାବରୁ ବିଜେ କରିଗଲେ ।୧୬୭।

ଲକ୍ଷ୍ମୀ ହେତୁ ଚଣ୍ଡାଳୁଣୀ ହେଲେ ଭାଗ୍ୟବତୀ ।

ଏବେ ଶୁଣ ହେ ନାରଦ ଅପୂର୍ବ ଭାରତୀ ।୧୬୮।

ସିଂହଦ୍ୱାରେ ବିଜୟ ଲକ୍ଷ୍ମୀ ଯେ ମହାମାୟୀ ।

ଦେଖିଲେ ଦୁଆରେ ବସିଛନ୍ତି ବେନି ଭାଇ ।୧୬୯।

ବୋଇଲେ ଲେ ବାଟ ଛାଡ଼ ଭିତରକୁ ଯିବି ।

ଦଶନୀ ଯୋଗାଡ଼ ମୁହିଁଁ ମଣିହୀ ରାନ୍ଧିବି ।୧୭୦।

ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଇ ।

ଚଣ୍ଡାଳ ସାହିକି ଯାଇଥିଲ କାହିଁଁ ପାଇଁ ।୧୭୧।

ଆମ୍ଭେ ନ ଦେଖୁଣି ଦେଖିଲେ ଯେ ବଡ଼ଭାଇ ।

ଆମ୍ଭେ ଦେଖୁଥିଲେ ସିନା ଦିଅନ୍ତୁ ଘୋଡ଼ାଇ ।୧୭୨।

ଯାଅ ଲକ୍ଷ୍ମୀ ତୁମ୍ଭଠାରେ ଆଉ କାର୍ଯ୍ୟ ନାହିଁଁ । 

ଧିକ୍କାର ବ‌ହୁତ ମୋତେ କଲେ ବଡ଼ ଭାଇ ।୧୭୩।

ହାଡ଼ି ଘରେ ଥିବ ଲକ୍ଷୀ ଥିବ ପାଣ ଘରେ ।

ସ୍ନାନ ନ କରି ପଶୁଛି ଦେଉଳ ଭିତରେ ।୧୭୪।

ତାଠାରୁ ପାପିନୀ ନାହିଁଁ ସଂସାରରେ ନାହିଁଁ ।

ମୋହର ବଚନ ଏବେ ଶୁଣ ପ୍ରାଣସ‌ହୀ ।୧୭୫।

ଜଗତେ ବୋଲନ୍ତି ତୋତେ ବାଇ ଠାକୁରାଣୀ ।

ବାଇ ପ୍ରାୟେ ବୁଲୁଥାଉ ହୋଇ ମୋ ଘରଣୀ ।୧୭୬।

ଏକ ଘର କରାଉ ସ‌ହସ୍ର ଘର ଭାଙ୍ଗି ।

ସ‌ହସ୍ର ଘର କରାଉ ଏକ ଘର ଭାଙ୍ଗି ।୧୬୮।

ଏମନ୍ତ ପ୍ରକାର ଲକ୍ଷ୍ମୀ ମହିମା ତୋହର ।

ଯାଅ ଲକ୍ଷ୍ମୀ ବାହାରି ଗୋ ନ ରହ ମୋ ପୁର ।୧୬୯।

ତୋହଠାରେ କୋପ କରିଛନ୍ତି ବଡ଼ ଭାଇ ।

ଲକ୍ଷ୍ମୀଦେବୀ କ‌ହୁଛନ୍ତି ଠାକୁରଙ୍କୁ ଚାହିଁଁ ।୧୭୦।

ଛାଡ଼ ପତ୍ର ଦେଇ ମୋତେ ଦିଅ ଘଉଡ଼ାଇ ।

ଜଗନ୍ନାଥ କ‌ହୁଛନ୍ତି ଲକ୍ଷ୍ମୀ ମୁଖ ଚାହିଁଁ ।୧୭୧।

ଆମ ଜାତିରେ ତ ଛାଡ଼ ପତ୍ର ଚଳେ ନାହିଁଁ ।

ଛାଡ଼ିବା ଭାରିଜା ମୁଖ ଚାହିଁଁ ନ ଯୋଗାଇ ।୧୭୨।

ଲକ୍ଷ୍ମୀ ଦେବୀ କ‌ହୁଛନ୍ତି ଠାକୁରଙ୍କୁ ଚାହିଁଁ ।

ଯେତେବେଳେ ସାଗର ମନ୍ଥିଲେ ଦେବେ ଯାଇଁ ।୧୭୩।

ବେଦ ମନ୍ତ୍ରାଦି ସ‌ହ ମୋତେ ପାଇଥିଲ ।

ସେତେବେଳ କଥା ତୁମେ ପାଶୋରି ଯେ ଦେଲ ।୧୭୪।

ମୋର ପିତା ବରୁଣ ଯେ ତୁମ୍ଭଙ୍କୁ ବରିଲେ ।

କନ‌କ ବେଦୀରେ ନେଇ ବିଭା କରାଇଲେ ।୧୭୫।

ଝିଅ ଦେଇ ଶରଣ ପଶିଲେ ତୁମ୍ଭଠାଇଁ ।

ଦଶଦୋଷ ମୋର କ୍ଷମା କରିବାର ପାଇଁ ।୧୭୬।

ଦଶଗୋଟି ଦୋଷରୁ ଗୋଟିଏ ନ ସ‌ହିଲ ।

ପ୍ରଥମରେ ଚଣ୍ଡାଳୁଣୀ ବୋଲି ଗାଳିଦେଲ ।୧୭୭।

ବିଭା ବାସୀ ଦିନ ଜୁଆ ଖେଳିବାର ବେଳେ ।

ସାତକଡ଼ା କଉଡ଼ି ଯେ ପାତିଲଇଁ ତଳେ ।୧୭୮।

ତୁମ୍ଭେ ଢ଼ାଳିଦିଅ ନାଥ ମୋହରି ହସ୍ତରେ ।

ସୁବର୍ଣ୍ଣ କଉଡ଼ି ମୁହିଁଁ ଜାକିଲଇଁ କରେ ।୧୭୯।

ଛଡ଼ାଇ ନ ପାରି ତୁମ୍ଭେ ବ୍ରହ୍ମାଣ୍ଡ ଠାକୁର । 

ମୋତେ ବୋଇଲ ଯା' ଇଚ୍ଛା ମାଗି ଘେନ ବର ।୧୮୦।

ଯାହା ମନ ବାଞ୍ଛା ଗୋ କରିବୁ ବଇଦେହୀ ।

ତାହା ମୁଁ ଅବଶ୍ୟ ଦେବି ଶୁଣ ପ୍ରାଣସ‌ହୀ ।୧୮୧।

କରପତ୍ର ଯୋଡ଼ିଣ ମୁଁ ବୋଇଲି ଉତ୍ତର ।

ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଠାକୁର ।୧୮୨।

ଅଷ୍ଟଦିନେ ପଡ଼ିବ ମୋହର ଗୁରୁବାର ।

ପଡ଼ି ଚରଚିବି ମୁହିଁଁ ସଭିଙ୍କର ଘର ।୧୮୩।

ପଡ଼ି ଚରଚିବି କୀଟୁ ବ୍ରହ୍ମ ପରିଯନ୍ତେ ।

ଏହି ଦୋଷ ମୋର ପ୍ରଭୁ ନ ଧରିବ ଚିତ୍ତେ ।୧୮୪।

ହେଉ ବୋଲି ଶ୍ରୀମୁଖରେ ଆଜ୍ଞା ଅଛ ଦେଇ ।

ଏବେ କିମ୍ପା ସତ୍ୟ ଭଗ୍ନ ହେଉଛ ଗୋସାଇଁ ।୧୮୫।

ଜଗନ୍ନାଥ କ‌ହୁଛନ୍ତି କୋପଭର ହୋଇ ।

ବାପ ତୋ ଲୁଣିଅ ଯେ ଗରଜି ମରୁଥାଇ ।୧୮୬।

ଝିଅ ଟେରୀ ତୋ ଦୁର୍ଗୁଣ କ‌ହିଲେ ନ ସରେ ।

ବାପର ଗର୍ଜ୍ଜନ ଶବ୍ଦେ କିଏ ରହିପାରେ ।୧୮୭।

ଚାରିପାଖେ ମେଘନାଦ ପାଚେରୀ ତୋଳାଇ ।

ବଡ଼ ଦେଉଳରେ ରହିଅଛ ଦୁଇ ଭାଇ ।୧୮୮।

ମହାଲକ୍ଷ୍ମୀ ବୋଲୁଛନ୍ତି ଠାକୁରଙ୍କୁ ଚାହିଁଁ ।

ଅଛବର ଘରେ ଦଣ୍ଡେ ଥିଲେ ଉଭାହୋଇ ।୧୮୯।

ଅଛବ ବିଟାଳ ବୋଲି ଦିଅ ଘଉଡ଼ାଇ ।

ପୁଣି ଜାତି କୁଳ ଗୋତ୍ର କ‌ହିଲ ଗୋସାଇଁ ।୧୯୦। 

ପ୍ରଭୁ ହେତୁ ଯାଉଛନ୍ତି ସବୁ ଗୋପ୍ୟ ହୋଇ ।

ତୁମ ଜାତି କୂଳର ତ ଠିକଣା ନ ଥାଇ ।୧୯୧।

ତୁମ୍ଭ ଜାତି କୂଳ ଯେ କ‌ହିଲେ ନ ସରଇ ।

ଗଉଡ଼ ଘରେ ରହିଲ ଦୁଇଗୋଟି ଭାଇ ।୧୯୨।

ନିମା ନାମେ ସପୁଟି ଯେ ଜାତିରେ ଗୋଲକ ।

ତାହା ଘରେ ଜଗନ୍ନାଥ କଲ ଅନ୍ନ ଭକ୍ଷ ।୧୯୩।

ଦୂତ ପଣେ ଯାଇଥିଲ ହସ୍ତିନା ଭୁବନ ।

ବିଦୁର ଘରେ ଯେ ପୁଣି କରିଲ ଭୋଜନ ।୧୯୪।

ଜାରା ନାମେ ଶବର ଯେ ଅରଣ୍ୟରେ ଘର ।

ସେ ତୁମ୍ଭଙ୍କୁ ପୂଜିଲା ବରଷ ଦଶ ବାର ।୧୯୫। 

ଅରଣ୍ୟର ଫଳମୂଳ ଖୋଜିଣ ଆଣଇ ।

ବସିଣ ପ୍ରଥମେ ଭଲମନ୍ଦ ସେ ଖାଅଇ ।୧୯୬।

ପିତା କଷା ସବୁ ପ୍ରଭୁ ଆଡ଼ କରିଦେଇ ।

ଯେ ଫଳ ସୁଆଦ ତାହା ତୁମ୍ଭଙ୍କୁ ଭୁଞ୍ଜଇ ।୧୯୭।

ଶବର ବିଟାଳ ତୁମ୍ଭେ ବେନିଗୋଟି ଭାଇ ।

ଏ କଥା କି ତୁମ୍ଭ ମନୁ ଗଲା ଭୁଲି ହୋଇ ।୧୯୮।

ଆପଣେ ପାତକୀ କିମ୍ପା ପର ନିନ୍ଦା କର ।

ପାପ ପୂଣ୍ୟ ଦୁଇ କଥା ବିଚାର ନ କର ।୧୯୯।

ଭାରିଜା ଯେ ଦୋଷ କଲେ ପତି ତା ସ‌ହଇ ।

ଏକ ଅପରାଧେ ପ୍ରଭୁ ଭୃତ୍ୟେ କି ତେଜଇ ।୨୦୦।

କିମ୍ପା ନ କର ପ୍ରଭୁ ଏମନ୍ତ ବିଚାର । 

ଯାଅ ଯାଅ ବୋଲୁଅଛ ମୋତେ ବାରମ୍ବାର ।୨୦୧।

ଜଗନ୍ନାଥ କ‌ହୁଛନ୍ତି ଏମନ୍ତ କରିବା ।

ମାଣେ ମାଣେ ପଡ଼ି ତୋତେ ନିତ୍ୟ ଦେଉଥିବା ।୨୦୨।

ଭାଇକୁ ବୁଝାଇ ପଛେ ତୁମ୍ଭଙ୍କୁ ଆଣିବୁ ।

ଭାଇଙ୍କ ଆଜ୍ଞା ଅବଜ୍ଞା କେବେ ନ କରିବୁ ।୨୦୩।

ଲକ୍ଷ୍ମୀଦେବୀ କ‌ହ‌ନ୍ତି ପଡ଼ିରେ କାର୍ଯ୍ୟ ନାହିଁଁ ।

ଅନାଥ ଅରକ୍ଷ ପ୍ରାୟେ ଯାଉଅଛି ମୁହିଁଁ ।୨୦୪।

ରାଣ୍ଡୀ ଅଲକ୍ଷଣୀ ଝିଅ ମୁହିଁଁ ଯେ ନୁହଁଇ ।

ପିତାର ଘରକୁ ମୁଁ ଯେ ବାହାରି ଯିବଇ ।୨୦୫।

ତୁମ୍ଭ ଅଳଙ୍କାରମାନ ପ୍ରଭୁ କାଢ଼ିନିଅ ।

ପଛରେ ମୋତେ ଯେ ଆଉ ବୋଲଣା ନ ଦିଅ ।୨୦୬।

ଗୋନିନ୍ଦ ବୋଲନ୍ତି ଲକ୍ଷ୍ମୀ ହୋଇଲ କି ବାଈ ।

ଅଙ୍ଗ ଅଳଙ୍କାର ଆମ୍ଭେ ନେବୁ କାହିଁଁ ପାଇଁ ।୨୦୭।

ଭାରିଜା ଦେହରେ ଯେଉଁ ଅଳଙ୍କାର ଥାଏ ।

ସ୍ୱାମୀ ହୋଇ ତାହାଠାରୁ କାଢ଼ି କିଏ ନିଏ ।୨୦୮।

ଠାକୁରାଣୀ କ‌ହୁଛନ୍ତି ଶ୍ରୀମୁଖକୁ ଚାହିଁ ।

ତୁମ୍ଭର ଅଟଇ ମୁଁ ଯେ ପ୍ରଥମ ବିବାହୀ ୨୦୯।

ପଛରେ କ‌ହିବ ଲକ୍ଷ୍ମୀ ଆମ ଘରେ ଥିଲା ।

ସ‌ହସ୍ର ଟଙ୍କାର ଅଳଙ୍କାର ଘେନି ଗଲା ।୨୧୦।

ଏମନ୍ତ ଅଖ୍ୟାତି ମୋତେ ନ ଦିଅ ଗୋସାଇଁ ।

ତୁମ୍ଭ ଅଳଙ୍କାରମାନ ନିଅ ବାହୁଡ଼ାଇ ।୨୧୧।

ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି ।

ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କଞ୍ଚୁଲି ।୨୧୨।

ଅଣ୍ଟାରୁ କାଢ଼ିଲେ ମାଏ ରତ୍ନ ଓଡ଼ିଆଣୀ ।

ନାସିକାରୁ କାଢ଼ିଲେ ଯେ ମୁକୁତା ବସଣୀ ।୨୧୩।

କର୍ଣ୍ଣଦ୍ୱୟରୁ କାଢ଼ଲେ ହୀରାର କୁଣ୍ଡଳ ।

ଗଳାରୁ କାଢ଼ିଲେ ଯେ ଦୋଷରୀ ଚିନାମାଳ ।୨୧୪।

ପାଦରୁ କାଢ଼ିଲେ ଦେବୀ ବାଜେଣୀ ନୁପୂର ।

ଅଙ୍ଗୁଷ୍ଠିରୁ କାଢ଼ିଲେ ଯେ ଝୁଣ୍ଟିଆ ସତ୍ତ୍ୱର ।୨୧୫।

ଅନ୍ୟ ଅଳଙ୍କାରମାନ କି କ‌ହିବି ଆଉ ।

ରୁଣ୍ଡ କଲାରୁ ଦିଶିଲା ସବୁ ଦାଉ ଦାଉ ।୨୧୬।

ସବୁ ଅଳଙ୍କାରମାନ ଏକଠାବ କଲେ ।

ରଖ ଦୀନବନ୍ଧୁ ଏହା ବୋଲି ସମର୍ପିଲେ ।୨୧୭।

ଗୋବିନ୍ଦ କ‌ହ‌ନ୍ତି ଏହା କି କରିବୁ ନେଇ ।

ଆମ୍ଭର ଏ ଅଳଙ୍କାରେ ପ୍ରୟୋଜନ ନାହିଁଁ ।୨୧୭।

ଗୃହସ୍ଥ ହୋଇଣ ଯେବେ ଭାର୍ଯ୍ୟାକୁ ତେଜଇ ।

ଛ' ମାସ ହାତ ଲୁଗା ଲେଖିଣ ଦିଅଇ ।୨୧୮।

ଏହି ଅଳଙ୍କାର ସବୁ ତୁମ୍ଭେ ଘେନିଯାଅ ।

ବିକି ଭାଙ୍ଗିକରି ଭାତ ଲୁଗା କରୁଥାଅ ।୨୧୯।

ଲକ୍ଷ୍ମୀଦେବୀ କ‌ହୁଛନ୍ତି ପ୍ରଭୁ ମୁଖ ଚାହିଁଁ ।

ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଗୋସାଇଁ ।୨୨୦।

ମୋର ତୁଲେ ଆଉ ଯେଉଁ ଭାରିଜା ଆଣିବ ।

ଏହିସବୁ ଅଳଙ୍କାର ତାହାଙ୍କୁ ଯେ ଦେବ ।୨୨୧।

ମୁହିଁଁ ଯାଉଅଛି ହୀନ ଅରକ୍ଷିତ ହୋଇ ।

ମୋଗ ଅଭିଶାପ ଘେନ ପ୍ରଭୁ ଭାବଗ୍ରାହୀ ।୨୨୨।

ସତେ ଯଦି ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତ‌ଯାତ ।

ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ ।୨୨୩।

ବାରବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ ।

ଅନ୍ନ ବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନ ମିଳିବ ।୨୨୪।

ମୁହିଁଁ ଚଣ୍ଡାଳୁଣୀ ଯେବେ ଟେକିଦେବି ଅନ୍ନ ।

ଭୋଜନ କରିବେ ତେବେ କାଳୀୟ ଗଞ୍ଜନ ।୨୨୫।

ଏତେ ବୋଲି ଲକ୍ଷ୍ମୀ ଦେବୀ ଶାପ ଦେଇଗଲେ ।

ଦେଉଳୁ ବାହାର ହୋଇ କେତେଦୂର ଗଲେ ।୨୨୬।

ଏହା ଦେଖି ଦାସୀମାନେ ସଙ୍ଗେ ଗୋଡ଼ାଅନ୍ତି ।

ଦାସୀଙ୍କୁ ଅନାଇ ଲକ୍ଷ୍ମୀଦେବୀ ବୋଲୁଛନ୍ତି ।୨୨୭।

ମୁହିଁଁ ଯାଉଅଛି ହୀନ ଅଲକ୍ଷଣୀ ହୋଇ ।

ମୋର ପଛେ ତୁମ୍ଭେମାନେ ଆସୁଛ କିମ୍ପାଇଁ ।୨୨୮।

ଏହି ପରି ହୋଇ ଯେବେ ପିତାଘର ଯିବି ।

ଚାରିଦିନ ମାତ୍ର ତ‌ହିଁଁ ରହି ନ ପାରିବି ।୨୨୯।

ଜଗନ୍ନାଥ ପ୍ରାୟ ବନ୍ଧୁ ପିତାଘର ଯିବେ ।

ତାଙ୍କୁ ଦେଖି ପିତା ମୋତେ ସମର୍ପିଣ ଦେବେ ।୨୩୦।

ଶାପ ଦେବା ଫଳ ମୋର ହେବ ଅକାରଣ ।

ଦରିଦ୍ର ନୋହିବେ ପ୍ରଭୁ ଦେବ ଭଗବାନ ।୨୩୧।

ଏତେ ବୋଲି ଲକ୍ଷ୍ମୀଦେବୀ ମନେ ଚିନ୍ତାକଲେ ।

ବିଶ୍ୱକର୍ମାକୁ ଯେ ମାଏ ମନେ ସୁମରିଲେ ।୨୩୨।

ବୈକୁଣ୍ଠପୁରରେ ବିଶ୍ୱକର୍ମା ରହିଥିଲା ।

ସ୍ମରଣ ମାତ୍ରକେ ଲକ୍ଷ୍ମୀ ଛାମୁରେ ମିଳିଲା ।୨୩୩।

କିସ ଆଜ୍ଞା ହେଉ ମୋତେ ଲକ୍ଷ୍ମୀ ମହାମାୟୀ ।

ଶୁଣି ଆଜ୍ଞା ଦେଲେ ବିଶ୍ୱକର୍ମାକୁ ଯେ ଚାହିଁଁ ।୨୩୪।

ଚଣ୍ଡାଳୁଣୀ କ‌ହି ପ୍ରଭୁ ଦେଲେ ଘଉଡ଼ାଇ ।

ପାରିବୁକି ଖଣ୍ଡିଏ କୁଡ଼ିଆ ତୋଳିଦେଇ ।୨୩୫।

ଆଜ୍ଞାମାତ୍ରେ ବିଶ୍ୱକର୍ମା ବେଗେ ଚଳିଗଲେ ।

ତିନି କୋଶ ପ୍ରମାଣେ ଉଆସ ତୋଳାଇଲେ ।୨୩୬।

ସୁବର୍ଣ୍ଣର କାନ୍ଥମାନ ସବୁଘରେ କଲେ ।

ହୀରେ ନୀଳା ମାଣିକ୍ୟାଦି ତ‌ହିଁଁ ଖଞ୍ଜାଇଲେ ।୨୩୭।

ଗଣ୍ଠିସ୍ଥଳେ ଅନେକ ମୁକୁତା ଲଗାଇଲେ ।

ପ୍ରବାଳର ସ୍ତମ୍ଭମାନ ତ‌ହିଁଁରେ ରଚିଲେ ।୨୩୮।

ପୁର ଦେଖି କମଳିନୀ ସନ୍ତୁଷ୍ଟ ହୋଇଲେ ।

ବିଶ୍ୱକର୍ମାକୁ ବ‌ହୁତ ପ୍ରଶଂସା ଯେ କଲେ ।୨୩୯।

ବୈକୁଣ୍ଠ ପୁରକୁ ବିଶ୍ୱକର୍ମା ଚଳିଗଲେ ।

ଅଷ୍ଟ ବେତାଳକୁ ଡାକି ଦେବୀ ଆଜ୍ଞା ଦେଲେ ।୨୪୦।

ଅଷ୍ଟ ବେତାଳରେ ତୁମ୍ଭେ ଏମନ୍ତ କରିବ ।

ପ୍ରଥମେ ରୋଷାଇ ଶାଳେ ଯାଇଣ ପଶିବ ।୨୪୧।

ଷାଠିଏ ପଉଟି ଭୋଗ ଭୁଞ୍ଜିବ ଯେ ତ‌ହିଁଁ ।

ତେର ପୌଟି ବ୍ୟଞ୍ଜନ ଖାଇବ ହର୍ଷ ହୋଇ ।୨୪୨।

ଶାଗମୁଗ ମଧୁରୁଚି ତିକ୍ତ କାଞ୍ଜିରାଇ ।

ଆମ୍ବିଳ ଖାଇବ ଖଣ୍ଡ ଶାକର ମିଶାଇ ।୨୪୩।

ଅମୃତ ମଣୋହିମାନ ଭୋଜନ କରିବ ।

ହାଣ୍ଡିମାନ ନେଇ ଏକଠାବେ କଚାଡ଼ିବ ।୨୪୪।

ତ‌ହୁଁ ଯାଇଣ ଭଣ୍ଡାର ମଧ୍ୟରେ ପଶିବ ।

ବାଉନ କୋଟି ଭଣ୍ଡାର ବୋହିଣ ଆଣିବ ।୨୪୫।

କାଣି କଉଡ଼ି କଡ଼ାକର ଦ୍ରବ୍ୟ ନ ରଖିବ ।

ସବୁ ବୋହି ଆଣି ମୋର ପାଶେ ସମର୍ପିବ ।୨୪୬।

ବେତାଳ ବୋଇଲେ ମହାଲକ୍ଷ୍ମୀ ମୁଖ ଚାହିଁଁ ।

କେମନ୍ତ କରିଣ ତ‌ହୁଁ ଆଣିବୁ ବୁହାଇ ।୨୪୭।

ଜଗନ୍ନାଥ ମହାପ୍ରଭୁ ତ‌ହିଁଁ ଚାହିଁଁ ଥିବେ ।

ଆମ୍ଭଙ୍କୁ ଦେଖିଣ କାଳେ ପରାଭବ ଦେବେ ।୨୪୮।

ଶୁଣି କମଳିନୀ ନିଦ୍ରାବତୀକି ରାଇଲେ ।

ବ‌ହ‌ନ ମୋ ବୋଲକର ବୋଲିଣ ବୋଇଲେ ।୨୪୯।

ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିବୁ ।

କାଲି ବେଳ ଦୁଇ ଘଡ଼ିଯାଏ ନ ଛାଡ଼ିବୁ ।୨୫୦।

ଆଜ୍ଞା ପାଇ ନିଦ୍ରାବତୀ ଶୀଘ୍ର ଚଳିଗଲେ ।

ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିଲେ ।୨୫୧।

ପାକଶାଳାରେ ବେତାଳ ପ୍ରବେଶ ହୋଇଲେ ।

ତ‌ହିଁଁ ଥିବା ପାକଦ୍ରବ୍ୟ ସମସ୍ତ ଖାଇଲେ ।୨୫୨।

ହାଣ୍ଡିମାନ ସବୁ ଏକ ସ୍ଥାନେ କଚାଡ଼ିଲେ ।

ଭଣ୍ଡାର ଘରରେ ଅଷ୍ଟ ବେତାଳ ପଶିଲେ ।୨୫୩।

ଯେତେ ଦ୍ରବ୍ୟ ପୂର୍ଣ୍ଣ ହୋଇ ରହିଥିଲା ତ‌ହିଁଁ ।

ବାଉନ କୋଟି ଭଣ୍ଡାର ଆଣିଲେ ବୁହାଇ ।୨୫୪।

ରାତ୍ର ଷୋଳ ଘଡ଼ିଯାକ ବେତାଳ ଯେ ତ‌ହିଁଁ ।

କୁଲାରୁ ଛାଞ୍ଚୁଣି ଯାଏ ସବୁ ନେଲେ ବୋହି ।୨୫୫।

ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ ।

ତୁମ୍ଭେ ଆଜି ପୁତ୍ରପଣ କରିଲ ବୋଇଲେ ।୨୫୬।

ପ୍ରଶଂସା କରିଣ ମାଏ ବଚନ ଯେ କ‌ହି ।

ସବୁ ଦ୍ରବ୍ୟ ଆଣିଲ ତ ରତ୍ନ ଖଟ ନାହିଁଁ ।୨୫୭।

ପାଞ୍ଚ ଲକ୍ଷ ମୂଲ୍ୟ ସେହି ଖଟ ତ ଅଟଇ ।

ଯାଅରେ ବେତାଳ ସେହି ଖଟ ଆଣ ବୋହି ।୨୫୮।

ଯେତେବେଳେ ଜଗନ୍ନାଥ ଦରିଦ୍ର ହୋଇବେ ।

ରତ୍ନ ଖଟ ବିକିକରି ଦିନ ଚଳାଇବେ ।୨୫୮।

ଯେବେ ପ୍ରଭୁ ଜଗନ୍ନାଥ ମୋତେ ନ ଖୋଜିବେ ।

ନାରୀଙ୍କୁ ପରୁଷମାନେ ଆଉ ନ ଲୋଡ଼ିବେ ।୨୫୯।

ମୋତେ ଘେନି ପ୍ରଭୁ ଯେବେ ନ କରିବେ ଘର ।

କଳିଯୁଗେ ନାରୀଙ୍କୁ ଯେ ନ ଖୋଜିବେ ନର ।୨୬୦।

ବେତାଳି ବୋଲୁଛନ୍ତି ରମା ମୁଖ ଚାହିଁଁ ।

ରତ୍ନ ଖଟେ ଶୋଇଛନ୍ତି ବେନି ଦୁଇ ଭାଇ ।୨୬୧।

କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ ।

ପୁଣି ତ‌ହିଁଁ ଶୋଇଛନ୍ତି କାଳୀୟ ଗଞ୍ଜନ ।୨୬୨।

ସାତଗୋଟି ପର୍ବତରୁ ଅଟଇ ଯେ ଗରୁ ।

ନାମ ବ‌ହି ଅଛନ୍ତି ଅଚଳ ମହାମେରୁ ।୨୬୩।

ମହାଲକ୍ଷ୍ମୀ ବୋଇଲେରେ ଏମନ୍ତ କରିବ ।

ଦଉଡ଼ିଆ ଖଟ ଏକ ଗୋଟି ଯେ ଆଣିବ ।


Cont....... 

Comments

Popular posts from this blog

ଶ୍ରୀ ଲକ୍ଷ୍ମୀ ଉପାସନା Link's

ଶ୍ରୀଲକ୍ଷ୍ମୀସହସ୍ରନାମସ୍ତୋତ୍ରମ୍

ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍